ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି। ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା।
ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏହି ରିପୋର୍ଟ ଦେଇଛି ADR ଓ ଓଡ଼ିଶା ଇଲେକସନ ୱାଚ୍। ବ୍ରହ୍ମପୁରରୁ ସ୍ୱାଧୀନ ଭାବେ ବିଧାୟକ ଭାବେ ଲଢୁଥିବା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍।
ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି। ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା। ସବୁଠୁ ଧନୀ ପ୍ରାର୍ଥୀ ହେଲେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର। ତାଙ୍କର ମୋଟ ସଂପତ୍ତି ହେଲା ୩୩ କୋଟି ୩୬ ଲକ୍ଷରୁ ଅଧିକ। ତାଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଛି। ଦୁଇ ଜଣ ପ୍ରାର୍ଥୀ କହିଛନ୍ତି, ତାଙ୍କ ପାଖରେ କୌଣସି ସଂପତ୍ତି ନାହିଁ।
ଲକ୍ଷ୍ମୀପୁର ଆସନରୁ ବିଧାୟକ ପ୍ରାର୍ଥୀ ରିପବ୍ଲିକାନ ପାର୍ଟିର ରମେଶ ଜାନିଙ୍କ ପାଖରେ ଅଛି ମାତ୍ର ହଜାରେ ଟଙ୍କା। ସବୁ ପ୍ରାର୍ଥୀଙ୍କ ସତ୍ୟପାଠରୁ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏଡିଆର୍ ଏବଂ ଓଡ଼ିଶା ଇଲେକସନ ୱାଚ୍।
ପ୍ରଥମ ପର୍ଯ୍ୟାୟ ଲଢ଼େଇରେ ଭାଗ୍ୟ ପରୀକ୍ଷା କରାଇବେ ୭ ମହିଳା ପ୍ରାର୍ଥୀ। ୨୫ ରୁ ୫୦ ବର୍ଷ ବୟସ ବର୍ଗରେ ୨୪ ଜଣ ପ୍ରାର୍ଥୀ ଅଛନ୍ତି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟିଂ ହେବ। ଏଡିଆର ସର୍ଭେ ରିପୋର୍ଟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କର ଅପରାଧିକ, ଶିକ୍ଷାଗତ, ଆର୍ଥିକ ସହ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି।
