Skip to main content
Date

ଭାରତର ନିର୍ବାଚନ କମିଶନଙ୍କ ନିକଟରେ ଦେଶର ୧୫ଟି ଆଞ୍ଚଳିକ ଦଳ ୨୦ହଜାର ଟଙ୍କାରୁ କମ୍‍ ପରିମାଣର ଚାନ୍ଦା ଆଦାୟର ବିବରଣୀ ପ୍ରଦାନ କରିଥିବାବେଳେ ସେମାନଙ୍କ ମଧ୍ୟରେ ବିଜେଡି ସବୁଠାରୁ ଆଗରେ ରହିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ୟ ଦଳ ତୁଳନାରେ ବିଜେଡି ସର୍ବାଧିକ ୧୩ କୋଟି ୪ଲକ୍ଷ ଟଙ୍କା ପାଇଛି ।

ବିଜେଡିକୁ ୫ଟି କର୍ପୋରେଟ ଓ ବ୍ୟବସାୟିକ ସଂସ୍ଥାରୁ ୧୩ କୋଟି ଟଙ୍କାର ଚାନ୍ଦା ମିଳିଥିବାବେଳେ ଜଣେ ବ୍ୟକ୍ତି ଦଳକୁ ୪ଲକ୍ଷ ଟଙ୍କାର ଚାନ୍ଦା ପ୍ରଦାନ କରିଛନ୍ତି । ବିଜେଡି ପଛକୁ ରହିଛି ଜେଡିୟୁ । ଏହି ଦଳକୁ ୬ଟି ଚାନ୍ଦାରୁ ୧୧କୋଟି ୧୯ଲକ୍ଷ ମିଳିଥିବାବେଳେ ୱାଇଏସ୍‍ଆର କଂଗ୍ରେସ ୮କୋଟି ୩୫ଲକ୍ଷ ଟଙ୍କାର ଚାନ୍ଦା ପାଇ ତୃତୀୟ ସ୍ଥାନରେ ରହିଥିବା ନେସ୍‍ନାଲ ଇଲେକସନ ୱାଚ୍‍ ଓ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ସମସ୍ତ ସୂଚନାର ବିଶ୍ଲେଷଣ କରି ସୂଚନା ପ୍ରଦାନ କରିଛି ।

ନିର୍ବାଚନ କମିଶନଙ୍କ ନିକଟରେ ଆପ୍‍, ଶିରୋମଣି ଅକାଳୀ ଦଳ, ଡିଏମ୍‍କେ, ଏସ୍‍ଡିଏଫ୍‍, ଏନ୍‍ପିଏଫ୍‍, ଏମ୍‍ଜିପି, ଏମ୍‍ଏନ୍‍ଏସ୍‍, ପିଏମ୍‍କେ, ଏଆଇଏନ୍‍ଆରସି ଓ ଡିଏମ୍‍ଡିକେ ୨୦ହଜାର ଟଙ୍କାରୁ କମ୍‍ ପରିମାଣର ପାଇଥିବା ଚାନ୍ଦା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଛନ୍ତି । ଏହିସବୁ ଦଳ ଗୁଡିକ ୨୮୨୪ଟି ଚାନ୍ଦାରୁ ମୋଟ୍‍ ୫୪ କୋଟି ୮୧ ଲକ୍ଷ ଟଙ୍କା ପାଇଥିବା ଦର୍ଶାଇଛନ୍ତି ।

ୱାଇଏସ୍‍ଆର କଂଗ୍ରେସ, ଟିଆରଏସ୍‍, ଜେଡିୟୁ ଏବଂ ଡିଏମ୍‍ଡିକେର ଚାନ୍ଦା ପରିମାଣ ୨୦୧୬-୧୭ ତୁଳନାରେ ୨୦୧୭-୧୮ ରେ ସର୍ବାଧିକ ବୃଦ୍ଧି ପାଇଛି । ୱାଇଏସ୍‍ଆର କଂଗ୍ରେସର ଚାନ୍ଦା ପରିମାଣ ୯୫ ପ୍ରତିଶତ ବଢିଥିବାବେଳେ ଡିଏମ୍‍ଡିକେର ୯୩ ପ୍ରତିଶତ, ଟିଆରଏସ୍‍ର ୯୦ ଓ ଜେଡିୟୁର ୮୭ ପ୍ରତିଶତ ବଢିଛି ।

ଆଞ୍ଚଳିକ ଦଳ ଗୁଡିକ ୨୦୧୭-୧୮ ବର୍ଷରେ ୫୪କୋଟି ୮୧ ଲକ୍ଷ ଟଙ୍କାର ଚାନ୍ଦା ପାଇଥିବା ଘୋଷଣା କରିଥିବାବେଳେ ଏଥିରୁ ୭୭ ଲକ୍ଷ ୪୯ ହଜାର ଟଙ୍କା ନଗଦ ଅର୍ଥ ଆକାରରେ ପାଇଛନ୍ତି । ଯାହାକି ମୋଟ୍‍ ଚାନ୍ଦାର ମାତ୍ର ୧.୪ ପ୍ରତିଶତ । ଏନ୍‍ପିଏଫ୍‍ ଦଳ ସର୍ବାଧିକ ୬୫ଲକ୍ଷ ୨୬ ହଜାର ଟଙ୍କାର ନଗଦ ଚାନ୍ଦା ପାଇଥିବାବେଳେ ଏଆଇଏନ୍‍ଆରସି ୪ଲକ୍ଷ ୨୦ହଜାର ଟଙ୍କାର ଚାନ୍ଦା ପାଇଛି ।

ତାମିଲନାଡୁରେ ଆଞ୍ଚଳିକ ଦଳ ଗୁଡିକ ସର୍ବାଧିକ ୪ଲକ୍ଷ ୩୨ ହଜାର ଟଙ୍କା ଚାନ୍ଦା ଆକାରରେ ପାଇଥିବାବେଳେ ଏହା ପଛକୁ ପୁଡୁଚେରୀ ଦ୍ୱିତୀୟ ସ୍ଥାନରେ ରହିଛି । ଆଞ୍ଚଳିକ ଦଳ ଗୁଡିକ ୨୬ଟି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ୧୭ ଦେଶରେ ଥିବା ଦାତାଙ୍କ ଠିକଣା ଦର୍ଶାଇଛନ୍ତି । କେବଳ ଆପ୍‍ ବିଦେଶରୁ ଚାନ୍ଦା ପାଇଥିବା ଦର୍ଶାଇଛି ।

ଆଞ୍ଚଳିକ ଦଳ ଗୁଡିକ ଦିଲ୍ଲୀରୁ ସର୍ବାଧିକ ୧୭.୯୪୬ କୋଟି ଟଙ୍କା ପାଇଥିବାବେଳେ ମହାରାଷ୍ଟ୍ରରୁ ୯କୋଟି ୩ଲକ୍ଷ ଏବଂ କର୍ଣ୍ଣାଟକରୁ ୫.୧୯୪ କୋଟି ପାଇଛନ୍ତି । ୨୦ହଜାର ଟଙ୍କାର ଅଧିକ ପରିମାଣର ଚାନ୍ଦା ଆକାରରେ ଆପ୍‍ ବିଦେଶରୁ ୦.୪୧୬ କୋଟି ଟଙ୍କା ପାଇଛି ।

ସେହିଭଳି ୧୪୮ଟି କର୍ପୋରେଟ ଓ ବ୍ୟବସାୟ ପ୍ରତିଷ୍ଠାନ ୨୭କୋଟି ୫୧ ଲକ୍ଷ ଟଙ୍କାର ଚାନ୍ଦା ଆଞ୍ଚଳିକ ଦଳକୁ ଦେଇଥିବାବେଳେ ୨୬୪୭ ଜଣ ବ୍ୟକ୍ତିଗତ ଭାବେ ୨୬କୋଟି ୧୫ ଲକ୍ଷ ଟଙ୍କାର ଚାନ୍ଦା ୨୦୧୭-୧୮ ବର୍ଷରେ ଦେଇଛନ୍ତି ।

ଅନୁରୂପ ଭାବେ ଜାତୀୟ ଦଳ ଗୁଡିକ ୧୩୬୧ କର୍ପୋରେଟ ଓ ବ୍ୟବସାୟିକ ଅନୁଷ୍ଠାନରୁ ୪୨୨ କୋଟି ୪ଲକ୍ଷ ଟଙ୍କାର ଚାନ୍ଦା ପାଇଛନ୍ତି । ଯାହାକି ସେମାନଙ୍କ ମୋଟ୍‍ ଚାନ୍ଦାର ପ୍ରାୟ ୯୦ ପ୍ରତିଶତ । ସେହିଭଳି ଜାତୀୟ ଦଳ ଗୁଡିକ ୨୭୭୨ ଜଣ ବ୍ୟକ୍ତିଗତ ଭାବେ ୪୭କୋଟି ୧୨ ଲକ୍ଷ ଟଙ୍କାର ଚାନ୍ଦା ଦେଇଛନ୍ତି ।