Source: 
Author: 
Date: 
23.08.2019
City: 

ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହାରାହାରି ୪୬ ପ୍ରତିଶତ ଭୋଟ ପାଇଛନ୍ତି । ୧୦୧ ଜଣ ବିଧାୟକ ୫୦ ପ୍ରତିଶତରୁ କମ୍‍ ଭୋଟ ପାଇ ଜିଣିଥିବାବେଳେ ମାତ୍ର ୪୫ ଜଣ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି । ୧୪୬ଟି ବିଧାନସଭା ଆସନରେ ପଡିଥିବା ଭୋଟକୁ ବିଶ୍ଲେଷଣ କରି ଓଡିଶା ଇଲେକ୍‍ସନ ୱାଚ ଓ ଏଡିଆର ପକ୍ଷରୁ ଜାରି ରିପୋର୍ଟରେ ଏହା ଦର୍ଶାଯାଇଛି ।

ରିପୋର୍ଟ ଅନୁଯାୟୀ ଏହି ନିର୍ବାଚନରେ ଜିଣିଥିବା ମୋଟ୍‍ ବିଧାୟକଙ୍କ ମଧ୍ୟରୁ ୩୦.୮୨ ପ୍ରତିଶତ ଅର୍ଥାତ୍‍ ୪୫ ଜଣ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବାବେଳେ ୬୯.୧୭ ପ୍ରତିଶତ ଅର୍ଥାତ୍‍ ୧୦୧ ଜଣ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ପଡିଥିବା ଭୋଟ୍‍ରୁ ୫୦ ପ୍ରତିଶତରୁ କମ୍‍ ପାଇଛନ୍ତି ।

ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୬୮ଜଣ ୫୦ ପ୍ରତିଶତରୁ କମ୍‍ ପରିମାଣ ଭୋଟ ପାଇଥିବାବେଳେ କଂଗ୍ରେସର ୮ଜଣ ଏବଂ ସମସ୍ତ ବିଜେପି ଓ ଜଣେ ସିପିଆଇଏମ୍‍ ସଦସ୍ୟ ବି ଅନୁରୂପ ହାରରେ ଭୋଟ ପାଇଛନ୍ତି । ନିଜ ନାମରେ ଅପରାଧିକ ମାମଲା ଘୋଷଣା କରି ବିଜୟୀ ହୋଇଥିବା ୬୭ ବିଧାୟକଙ୍କ ମଧ୍ୟରୁ ୧୫ଜଣ ୫୦ ପ୍ରତିଶତରୁ ଅଧିକ ହାରରେ ଭୋଟ ପାଇଛନ୍ତି ।

ବିଜୟୀ ହୋଇଥିବା ଚାରିଜଣ ବିଧାୟକ ୧୦୦୦ରୁ କମ୍‍ ଭୋଟରେ ଜିଣିଥିବାବେଳେ ଦୁଇ ଜଣ ୪୦ ପ୍ରତିଶତ ଭୋଟ ପାଇ ବିଧାନସଭାକୁ ଆସିଛନ୍ତି । ଅପରାଧିକ ମାମଲା ଥାଇ ଜିଣିଥିବା ୨୬ଜଣ ବିଧାୟକଙ୍କ ଠାରୁ ପରାଜିତ ହୋଇଥିବା ପ୍ରାର୍ଥୀମାନଙ୍କ ବିରୁଦ୍ଧରେ ଏଭଳି ମାମଲା ନଥିବା ଜଣାଯାଇଛି ।

ଖଣ୍ଡପଡା ବିଧାନସଭା ଆସନରୁ ଜିଣିଥିବା ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ୭୪.୩୪ ପ୍ରତିଶତ ଭୋଟ ପାଇଥିବାବେଳେ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଥିବା ଭୋଟ ହାର ରହିଛି ୬୬.୩୨ ପ୍ରତିଶତ । ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି କବିସୂର୍ଯ୍ୟନଗରରୁ ବିଜେଡି ଟିକଟରେ ଜିଣିଥିବା ଲତିକା ପ୍ରଧାନ । ଶ୍ରୀମତୀ ପ୍ରଧାନ ତୃତୀୟ ସର୍ବାଧିକ ୬୨.୮୭ ପ୍ରତିଶତ ଭୋଟ ପାଇଛନ୍ତି ।

ସବୁଠାରୁ କମ୍‍ ପ୍ରତିଶତ ଭୋଟ ପାଇ ଜିଣିଛନ୍ତି ରାୟଗଡା ଆସନରୁ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି । ଶ୍ରୀ ମୁଦୁଲି ୩୦.୨୧ ପ୍ରତିଶତ ଭୋଟ ପାଇଥିବାବେଳେ ରାଜଗାଙ୍ଗପୁର ଆସନରୁ ଜିଣିଥିବା କଂଗ୍ରେସ ପ୍ରାର୍ଥୀ ସି.ଏସ୍‍.ରାଜନ ଏକା ୩୦.୯୮ ପ୍ରତିଶତ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଓ ନର୍ଲା ଆସନରୁ ଜିଣିଥିବା ବିଜେଡି ପ୍ରାର୍ଥୀ ଭୂପିନ୍ଦର ସିଂହ ୩୧.୧୨ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।

ଏଥର ବିଧାନସଭା ନିର୍ବାଚନରେ ୯୫ ଜଣ କୋଟିପତି ପ୍ରାର୍ଥୀ ଜିଣିଥିବାବେଳେ ଏମାନଙ୍କ ମଧ୍ୟରୁ ୩୭ ଜଣଙ୍କ ଠାରୁ ହାରିଥିବା ପ୍ରାର୍ଥୀମାନେ କୋଟିପତି ତାଲିକାରେ ନାହାନ୍ତି । ସେହିଭଳି କୋଟିପତି ତାଲିକାରେ ନଥିବା ୨୨ଜଣ ପ୍ରାର୍ଥୀ ସେମାନଙ୍କ ବିରୁଦ୍ଧରେ ଲଢିଥିବା କୋଟିପତି ପ୍ରାର୍ଥୀଙ୍କ ଠାରୁ ଜିଣିଛନ୍ତି ।

ଚଳିତ ବିଧାନସଭାକୁ ୬୦ଜଣ ବିଧାୟକ ପୁନଃ ନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ଜଣ ୫୦ପ୍ରତିଶତରୁ ଅଧିକ ଭୋଟ ହାରରେ ଜିଣିଛନ୍ତି । ପୁନଃ ନିର୍ବାଚିତ ହୋଇଥିବା ୧୨ଜଣ ବିଧାୟକଙ୍କ ବିଜୟ ଭୋଟ ବ୍ୟବଧାନ ହାର ୫ପ୍ରତିଶତ ରହିଥିବାବେଳେ ୮ଜଣଙ୍କ ବିଜୟ ଭୋଟ ବ୍ୟବଧାନ ୨୦ ପ୍ରତିଶତ ରହିଛି ।

୨୦୧୩ ମସିହାରୁ ମତଦାତାଙ୍କ ପାଇଁ ନୋଟା ବ୍ୟବସ୍ଥା ହୋଇଥିବାବେଳେ ଏଥର ନିର୍ବାଚନରେ ମୋଟ୍‍ ୨,୩୪,୧୭,୬୯୫ଟି ଭୋଟ ମଧ୍ୟରୁ ୧.୦୫ ପ୍ରତିଶତ ଅର୍ଥାତ୍‍ ୨,୪୪,୯୭୪ଟି ଭୋଟ ନୋଟା ସପକ୍ଷରେ ଯାଇଛି । 

© Association for Democratic Reforms
Privacy And Terms Of Use
Donation Payment Method