Skip to main content
Source
ETV Bharat
https://www.etvbharat.com/or/!politics/lok-sabha-election-2024-odisha-election-phase-iv-analysis-of-criminal-background-financial-education-gender-and-other-details-of-candidates-ors24052207132
Author
ETV Bharat Odisha Team
Date
City
Bhubaneswar

Lok sabha Election 2024 ADR Report: ଏଡିଆର ରିପୋର୍ଟ ଅନୁସାରେ, ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ସାଂସଦ ପ୍ରାର୍ଥୀଙ୍କ ୨୦ ଜଣ କୋଟିପତି । ୧୫ ଜଣ ଅର୍ଥାତ୍ ୨୩ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ଅଧିକ ପଢ଼ନ୍ତୁ

ରାଜ୍ୟରେ ଆଗାମୀ ୨୫ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଜୁନ୍ ପହିଲାରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରକାଶ ପାଇଛି ୬ ଲୋକସଭା ଆସନର ଏଡିଆର ରିପୋର୍ଟ । ତେବେ ରାଜ୍ୟର ୬ଟି ଲୋକସଭା ଆସନ ପାଇଁ ଏହି ନିର୍ବାଚନରେ ମତଦାନ ହେବାକୁ ଥିବା ବେଳେ ପ୍ରତିଦ୍ବନ୍ଦିତା କରୁଥିବା ୬୬ ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ କୋଟିପତି ଅଟନ୍ତି । ଶେଷ ପର୍ଯ୍ୟାୟର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ହେଉଛି ୩.୮୩ କୋଟି ଟଙ୍କା ।

ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ୬୬ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଏହି ରିପୋର୍ଟ ଦେଇଛନ୍ତି । ରିପୋର୍ଟ ଆଧାରରେ ୬୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ ଅର୍ଥାତ ୩୦ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିଟଙ୍କାରୁ ଅଧିକ ରହିଛି । ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ପ୍ରତି ବିଜେପି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨୭.୧୨ କୋଟି ଟଙ୍କା ଥିବା ବେଳେ ବିଜେଡିର ୬ ଜଣ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୬.୬୧ କୋଟି ଟଙ୍କା, ୫ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୩୭ କୋଟି ଟଙ୍କା ରହିଛି । ତେବେ ଶେଷ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୧୪୮.୦୮ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଶ୍ରୀରାମ ପାଣ୍ଡେ (୧୮.୨୩ କୋଟି) ଏବଂ ଭଦ୍ରକରୁ ବର୍ତ୍ତମାନର ବିଜେପି ସାଂସଦ ମଞ୍ଜୁଲତା ମଣ୍ଡଳ (୧୪.୮୬ କୋଟି) ତୃତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ସର୍ବନିମ୍ନ ସମ୍ପତ୍ତି ଥିବା ୩ ଜଣ ପ୍ରାର୍ଥୀ ହେଲେ ଜଗତସିଂହପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଉତ୍କଳ ସମାଜ ପାର୍ଟିର ଭାନୁମତୀ ଦାସ (୧୫୦୦ ଟଙ୍କା), ବାଲେଶ୍ବରରୁ ସ୍ବାଧୀନ ପ୍ରାର୍ଥୀ ଦୀପକ ଶଙ୍କର ଠାକୁର ଗିରି (୬,୦୦୦ ଟଙ୍କା) ଏବଂ ଜଗତସିଂହପୁର ଲୋକସଭା ଆସନରୁ ବିଏସପି ପ୍ରାର୍ଥୀ ବିଭୂତି ଭୂଷଣ ମାଝୀ (୬,୦୬୧ ଟଙ୍କା) । ସେହିପରି ୧୪ ଜଣ ପ୍ରାର୍ଥୀ ସେମାନଙ୍କ ବୟସ ୨୫ରୁ ୪୦ ବର୍ଷ ମଧ୍ୟରେ ଘୋଷଣା କରିଥିବା ବେଳେ ୩୪ ଜଣ ପ୍ରାର୍ଥୀ ୪୧ରୁ ୬୦ ବର୍ଷ ବୟସ ବର୍ଗର ବୋଲି ଘୋଷଣା କରିଛନ୍ତି । ୧୮ ଜଣ ବରିଷ୍ଠ ପ୍ରାର୍ଥୀ ସେମାନଙ୍କ ବୟସ ୬୧ରୁ ୮୦ ବର୍ଷ ମଧ୍ୟରେ ବୋଲି ସତ୍ୟପାଠରେ ଲେଖିଛନ୍ତି । ଅନ୍ୟପଟେ ଅପରାଧିକ ପୃଷ୍ଠଭୁମିକୁ ନେଇ ଏଏଡିଆର ରିପୋର୍ଟ ସୂଚାଉଛି ଯେ ୧୫ (୨୩ ପ୍ରତିଶତ) ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି, ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅପରାଧିକ ମାମଲାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ୧୯ ଜଣ ସାଂସଦ ପ୍ରାର୍ଥୀ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ବୋଲି ଘୋଷଣା କରିଥିବା ବେଳେ ୪୩ ଜଣ ସ୍ନାତକ କିମ୍ବା ତା’ଠାରୁ ଅଧିକ । ଏହାବ୍ୟତୀତ ୨ ଜଣ ପ୍ରାର୍ଥୀ ଡିପ୍ଲୋମା ଧାରୀ ହୋଇଥିବା ବେଳେ ୨ ଜଣ ପ୍ରାର୍ଥୀ ନିଜକୁ କେବଳ ସାକ୍ଷର ବୋଲି ଘୋଷଣା କରିଛନ୍ତି । ଏଠାରେ ସୂଚନା ଥାଉକି ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଲୋକସଭା ଆସନରେ ମତଦାନ କରାଯିବ ।