Skip to main content
Source
Tathya
https://tathya.in/%E0%AD%A7%E0%AD%A8%E0%AD%A7-%E0%AC%AA%E0%AD%8D%E0%AC%B0%E0%AC%BE%E0%AC%B0%E0%AD%8D%E0%AC%A5%E0%AD%80-%E0%AC%95%E0%AD%8B%E0%AC%9F%E0%AC%BF%E0%AC%AA%E0%AC%A4%E0%AC%BF/
Author
Tathya Correspondent
Date
City
Bhubaneswar

ରାଜ୍ୟରେ ଅନ୍ତିମ ପର୍ଯ୍ୟାୟରେ ହେବାକୁ ଥିବା ୪୨ଟି ବିଧାନସଭା ଆସନ ପାଇଁ ମୋଟ୍‍ ୩୯୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏମାନଙ୍କ ମଧ୍ୟରେ ୧୨୧ ଜଣ ଅର୍ଥାତ୍‍ ୩୧% ହେଉଛନ୍ତି କୋଟିପତି । ଏହି କୋଟିପତି ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ସର୍ବାଧିକ ୩୭ଜଣ ଥିବାବେଳେ ବିଜେପିର ୩୦, କଂଗ୍ରେସର ୨୧ ଏବଂ ସିପିଆଇ ଓ ସିପିଆଇଏମ୍‍ର ଜଣେ କରି ରହିଛନ୍ତି ।

ସମସ୍ତ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠକୁ ତର୍ଜମା କରି ଏଡିଆର ଏବଂ ଓଡିଶା ଇଲେକସନ ୱାଚ୍‍ ଏହି ସୂଚନା ପ୍ରଦାନ କରିଛି । ସୂଚନା ଅନୁଯାୟୀ ୧୨୧ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ୪୧ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୫କୋଟିରୁ ଅଧିକ ରହିଛି । ସେହିଭଳି ୩୬ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୨ରୁ ୫କୋଟି ଟଙ୍କା ମଧ୍ୟରେ ହୋଇଥିବାବେଳେ ୮୮ ପ୍ରାର୍ଥୀଙ୍କ ସମ୍ପତ୍ତି ୫୦ଲକ୍ଷରୁ ୨କୋଟି, ୮୧ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ରୁ ୫୦ଲକ୍ଷ ଏବଂ ୧୪୮ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ଲକ୍ଷ ଟଙ୍କାରୁ କମ୍‍ ରହିଛି ।

ଧନୀ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଉପରେ ରହିଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବିଧାନସଭାର ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା । ତାଙ୍କ ସମ୍ପତ୍ତିର ପରିମାଣ ୧୩୫ କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ସିମୁଳିଆର ବିଜେଡି ପ୍ରାର୍ଥୀ ସୁବାସିନୀ ସାହୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତିର ପରିମାଣ ୯୧କୋଟି ଟଙ୍କାରୁ ଅଧିକ ରହିଛି । ତୃତୀୟ ସ୍ଥାନରେ ଅଛନ୍ତି ଭଣ୍ଡାରୀପୋଖରୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୮୬କୋଟି ଟଙ୍କାରୁ ଅଧିକ ।

ତେବେ ସବୁଠାରୁ ଗରିବ ପ୍ରାର୍ଥୀଙ୍କ ସମ୍ପତ୍ତିର ପରିମାଣ ହେଉଛି ୬୪୫ ଟଙ୍କା । ଉଦଳା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଣୁଧର ମହାପାତ୍ର ତାଙ୍କ ସତ୍ୟପାଠାରେ ଏହା ଦର୍ଶାଇଛନ୍ତି । ସେହିଭଳି ବସ୍ତା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଝରଣାରାଣୀ ଜେନାଙ୍କ ସମ୍ପତ୍ତିର ପରିମାଣ ୧୦୦୦ ଟଙ୍କା ଥିବାବେଳେ ନିମାପଡାରୁ ଜୟ ମହାଭାରତ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ଗୋପାଳ କୃଷ୍ଣ ବେହେରାଙ୍କ ସମ୍ପତ୍ତିର ପରିମାଣ ୨୬୭୧ ଟଙ୍କା ଦର୍ଶାଯାଇଛି ।

ଦୁଇଜଣ ପ୍ରାର୍ଥୀଙ୍କର କୌଣସି ସମ୍ପତ୍ତି ନଥିବା ସେମାନେ ନିଜ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏମାନେ ହେଲେ ଧାମନଗରରୁ ସ୍ୱାଧୀନ ଭାବେ ଲଢୁଥିବା ସଞ୍ଜୟ କୁମାର ଦାସ ଏବଂ କୋରେଇରୁ ଲଢୁଥିବା ଗୋପାଳକୃଷ୍ଣ ମହାନ୍ତି । ଏହି ଦୁଇ ପ୍ରାର୍ଥୀଙ୍କର କୌଣସି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନାହିଁ । ତେବେ ସେମାନଙ୍କର ପାନ୍‍ କାର୍ଡ ଅଛି ।

ସେହିଭଳି ମୋଟ୍‍ ୩୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୬ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ୮୮ଜଣଙ୍କ ନାମରେ ଜଘନ୍ୟ ଅପରାଧିକ ମାମଲା ଥିବାବେଳେ ୧୭ଜଣ ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ଏବଂ ୨୦ଜଣଙ୍କ ବିରୁଦ୍ଧରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ମାମଲା ରହିଛି ।

ବିଜେପିର ୪୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ବିଜେଡିର ୪୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ଜଣ ଏବଂ କଂଗ୍ରେସର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ସେମାନେ ନିଜ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ।