Source: 
Tathya
https://tathya.in/%E0%AD%A7%E0%AD%A8%E0%AD%AC-%E0%AC%AA%E0%AD%8D%E0%AC%B0%E0%AC%BE%E0%AC%B0%E0%AD%8D%E0%AC%A5%E0%AD%80-%E0%AC%95%E0%AD%8B%E0%AC%9F%E0%AC%BF%E0%AC%AA%E0%AC%A4%E0%AC%BF/
Author: 
Tathya Correspondent
Date: 
18.05.2024
City: 
Bhubaneswar

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ୩୮୩ ଜଣଙ୍କ ମଧ୍ୟରୁ ୧୨୬ ଜଣ ହେଉଛନ୍ତି କୋଟିପତି । ଏମାନଙ୍କ ସଂଖ୍ୟା ମୋଟ୍‍ ପ୍ରାର୍ଥୀଙ୍କର ୩୩ ପ୍ରତିଶତ । ତାଲିକାରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ଆସନରୁ ବିଜେଡି ଟିକଟରେ ଲଢୁଥିବା ସନାତନ ମହାକୁଡ ।

ଏଡିଆର ଓ ଓଡିଶା ଇଲେକସନ ୱାଚ ପକ୍ଷରୁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଏହି ତଥ୍ୟ ପ୍ରଦାନ କରାଯାଇଛି । ଏହି ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ହୋଇଥିବା ସନାତନ ମହାକୁଡ ହେଉଛନ୍ତି ସବୁଠାରୁ ଧନୀ । ତାଙ୍କ ସମ୍ପତ୍ତିର ପରିମାଣ ୨୨୭ କୋଟି ଟଙ୍କାରୁ ଅଧିକ । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସେହି ଜିଲ୍ଲାର ଘଷିପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ସୌମରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକଙ୍କ ସମ୍ପତ୍ତିର ପରିମାଣ ୧୨୨ କୋଟି ଟଙ୍କାରୁ ଅଧିକ । ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡର ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ଶ୍ରୀ ସିଂହଙ୍କ ସମ୍ପତ୍ତିର ପରିମାଣ ହେଉଛି ୧୨୦ କୋଟି ଟଙ୍କାରୁ ଅଧିକ ।

ଏହି ରିପୋର୍ଟ ଅନୁଯାୟୀ ୩୮୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୮୬ଜଣଙ୍କ ନାଁରେ ଜଘନ୍ୟ ଅପରାଧିକ ମାମମଲାମାନ ରହିଛି । ୪ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା ରହିଥିବାବେଳେ ୨୬ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ମହିଳାମାନଙ୍କ ବିରୁଦ୍ଧରେ ହିଂସା ମାମଲା ରହିଛି ୨୮ଜଣଙ୍କ ବିରୁଦ୍ଧରେ । ତେବେ ବିଜେପିର ୪୨ ପ୍ରାର୍ଥୀଙ୍କ ମଦ୍‍ୟରୁ ୨୩ଜଣଙ୍କ ବିରୁଦ୍ଧରେ ଜଘନ୍ୟ ଅପରାଧିକ ମାମଲା ଥିବାବେଳେ କଂଗ୍ରେସର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ଏବଂ ବିଜେଡିର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ଜଣଙ୍କ ବିରୁଦ୍ଧରେ ଜଘନ୍ୟ ଅପରାଧିକ ମାମଲା ରହିଛି ।

ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ ଆଦୌ ପାଠଶାଠ ପଢିନଥିବାବେଳେ ୨ଜଣ ସାକ୍ଷର ବୋଲି ନିଜକୁ ଦର୍ଶାଇଛନ୍ତି । ୧୧ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାଶ୍‍ ହୋଇଥିବାବେଳେ ୩୨ଜଣ ୮ମ ପାଶ୍‍, ୪୯ଜଣ ୧୦ମ ପାଶ୍‍, ୬୩ଜଣ ଯୁକ୍ତ ଦୁଇ ପାଶ୍‍, ୮୬ଜଣ ଗ୍ରାଜୁଏଟ୍‍, ୬୦ଜଣ ଗ୍ରାଜୁଏଟ୍‍ ବୃତ୍ତିଧାରୀ, ୫୮ଜଣ ସ୍ନାତକୋତ୍ତର, ୬ଜଣ ପିଏଚ୍‍ଡି ଉପାଧିଧାରୀଏବଂ ୧୨ ଜଣ ଡିପ୍ଲୋମାଧାରୀ ରହିଛନ୍ତି ।

ସେହିଭଳି ଏହି ୪୨ଟି ଆସନରେ ଲଢୁଥିବା ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ଜଣଙ୍କର ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହୋଇଥିବାବେଳେ ୭୧ଜଣଙ୍କ ବୟସ ୩୧ ରୁ ୪୦ ବର୍ଷ ମଧ୍ୟରେ ରହିଛି । ୧୨୯ଜଣ ପ୍ରାର୍ଥୀଙ୍କ ବୟସ ୪୧ରୁ ୬୦ବର୍ଷ ଭିତରେ ଥିବାବେଳେ ୯୭ଜଣଙ୍କ ବୟସ ୫୧ ରୁ ୬୦ ମଧ୍ୟରେ ରହିଛି । ୪୭ଜଣ ବୟସ ୬୧ ରୁ ୭୦ବର୍ଷ ମଧ୍ୟରେ ହୋଇଥିବାବେଳେ ୧୩ଜଣଙ୍କ ବୟସ ୭୧ରୁ ୮୦ବର୍ଷ ମଧ୍ୟରେ ରହିଛି । ୮୧ରୁ ବର୍ଷରୁ ଅଧିକ ବୟସର ଜଣେ ମାତ୍ର ପ୍ରାର୍ଥୀ ଏହି ପର୍ଯ୍ୟାୟରେ ରହିଛନ୍ତି । ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୭ଜଣ ପୁରୁଷ ଥିବାବେଳେ ୪୪ ଜଣ ମହିଳା ଅଛନ୍ତି ।

© Association for Democratic Reforms
Privacy And Terms Of Use
Donation Payment Method